ସମ୍ବଲପୁର,
ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳବର୍ଷା ଯୋଗୁଁ ବର୍ତ୍ତମାନ ଏହା ଭିତରକୁ ପ୍ରବେଶ କରୁଥିବା ଜଳରାଶିର ପରିମାଣ ଏବର୍ଷ ପ୍ରଥମଥର ପାଇଁ ଏକ ଲକ୍ଷ ଉପରକୁ ପହଞ୍ଚିଛି । ଏହା ସହିତ ଜଳସ୍ତର ମଧ୍ୟ ଦୃତଗତିରେ ବୃଦ୍ଧି ପାଇ ଆଜି ୬୧୪ଫୁଟ ଟପିଛି । ଏ ବିଷୟରେ ହୀରାକୁଦ ନିୟନ୍ତ୍ରଣ କକ୍ଷରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୮ଟା ସମୟରେ ଏହାର ଜଳସ୍ତର ସମୁଦ୍ର ତଳଠାରୁ ୬୧୪.୩୭ ଫୁଟ ରେକର୍ଡ କରା ଯାଇଛି । ଏବର୍ଷ ଏହାର ସର୍ବନିମ୍ନ ଜଳସ୍ତର ଗତ ୧୫ଜୁନ ଦିନ ୬୦୭.୬୫ଫୁଟ ରେକର୍ଡ କରା ଯାଇଥିଲା ଓ ତାହା ପରଦିନ ଠାରୁ ବର୍ଷା ଯୋଗୁଁଏହା ନିରନ୍ତର ବଢ଼ିବାରେ ଲାଗିଛି । ଆଜି ସକାଳ ୮ଟା ସମୟରେ ଜଳଭଣ୍ଡାର ଭିତରକୁ ଏକଲକ୍ଷ ୪ହଜାର ୯୯୭ କ୍ଯୁସେକ ବନ୍ଯା ଜଳରାଶି ପ୍ରବେଶ କରୁଥିଲା ଓ ସେଠାରୁ ୧୪ହଜାର ୨୧୩ କ୍ଯୁସେକ ଜଳରାଶି ନିଷ୍କାସିତ ହେଉଥିଲା । ଇତି ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ କୌଣସି ସମୟ ରେ ବନ୍ଯାଜଳ ନିଷ୍କାସନ ଆରମ୍ଭ ହୋଇପାରେ ବୋଲି ଏହାର କର୍ତ୍ତୃପକ୍ଷ ପ୍ରାୟ ମାସେ ଆଗରୁ ସୂଚନା ଜାରିକରି ସାବଧାନ କରେଇ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ଗୋଟିଏ ହେଲେ କପାଟ ଖୋଲାଯାଇ ନାହିଁ । ଜଳ ବିଦ୍ଯୁତ ଉତ୍ପାଦନ ଓ ବିଭିନ୍ନ କେନାଲ ମାଧ୍ୟମରେ ମାତ୍ର ନିଷ୍କାସିତ ହେଉଥିବା ଜଳରାଶି ର ପରିମାଣ ୧୪,୨୧୩ କ୍ଯୁସେକ ରହିଛି ।
ହୀରାକୁଦକୁ ଲକ୍ଷେ କ୍ଯୁସେକରୁ ଅଧିକ ବନ୍ଯାଜଳ ପ୍ରବେଶ ସହିତ ଜଳସ୍ତର ୬୧୪ ଫୁଟ ଟପିଲା
